Unknown

 

 

 

 

 

 

 

 

 

ଉର୍ବଶୀ

କବିବର ରାଧାନାଥ ରାୟ

 

ପ୍ରଥମ ସର୍ଗ

 

ଅତି ମନୋହର- କାଳ ଶୀତ‌ଋତୁ

ଧରା ଛାଡ଼ି ଛାଡ଼ି ନାହିଁ,

ପଲ୍ଲବ-ପାଟଳ- ମଧୁ-ଋତୁ-ରାଟ

ଧରା ମାଡ଼ି ମାଡ଼ି ନାହିଁ ।

ନ‌ଦୀତୀର ସ୍ୱର୍ଣ୍ଣ- ବର୍ଣ୍ଣ ରାମତିଳା

ସର୍ଷ‌ପ କୁସୁମେ ଦିଶେ,

ମଧ୍ୟେ ନୀର-ବେଣୀ ସନ୍ଧ୍ୟା-ମେଘ-ରନ୍ଧ୍ରେ

ନୀଳ ନଭ-ରେଖା କି ସେ ?

ଖଳା ଅଗଣାରେ କଳେଇ ଗଦାର

ଆମୋଦ ସଙ୍ଗତେ ମିଶି,

ବବୁର ପ୍ରସୂନ- ବାସ ଜନପଦେ

ପ୍ରସରଇ ଅହର୍ନିଶି ।

ଥରେ ଥରେ ଚୋରା ମଳୟ ଚୋରାଇ

ଆସି ଚୁମ୍ବିଯାଏ ଧରା,

ଛାୟାରେ ଲାଗଇ ଶୀତ, ପୁଣି ଗଲେ,

ଖରାକୁ କାଟଇ ଖରା ।

ଖରାବେଳେ ପାନ୍ଥ- ଭ୍ରାନ୍ତି ଜନମାଏ

ନିଦାଘ ଅଗ୍ରଦୂତିକା,

ସମୟେ ସମ‌ୟେ ଭରତ କୂଜିତ

ଦିଗନ୍ତ ମୃଗ‌-ତୃଷ୍ଣିକା ।

କୁହେଳିକି ଡରି ଜଳୁଁ କମଳିନୀ,

ତୋଳିପାରୁ ନାହିଁ ମୁଣ୍ଡ,

ମୁକୁଳ-ଉଦ୍‌ଗମ ଲାଗି ଚୂତଡାଳେ

ବାନ୍ଧୁଅଛି ପର୍ଣ୍ଣକୁଣ୍ଡ ।

ମଦ-ସ୍ରାବି-ପୁଷ୍ପ- ସ୍ତବକେ-ସରାଗେ

ମଣ୍ଡିବାକୁ ନିଜଅଙ୍ଗ,

ଡେମ୍ଫେ ଡେମ୍ଫେ କ୍ଷୁଦ୍ର, କ୍ଷୁଦ୍ର ପର୍ଣ୍ଣକୋଷ

ସଜାଡ଼ୁ ଅଛି ବାସଙ୍ଗ ।

ହିମ ଯୋଗୁ ଅଳି- ସଂଯୋଗ ବିହୁନେ

ସୁନ୍ଦରୀ-ରଦନ-ଛବି,

କୁନ୍ଦ ସୁନ୍ଦରୀଙ୍କ କଟାକ୍ଷ-ଲକ୍ଷ୍ମୀର

ଲୀଳା ପାରୁନାହିଁ ଲଭି ।

ଚୌଦିଗେ ଶୁଭଇ ସିନ୍ଦୁରମୁଣ୍ଡିର

ସ୍ୱାଗତ ଊରୁନାୟକେ,

ମଧୁ ଚାଖି ଚାଖି ପ୍ରଜାପତି ବୁଲେ

ଗେଣ୍ଡୁ ଫୁଲେ, କୁରୁବକେ ।

ଯାମେ ଯାମେ ଆମ୍ର- କୁଞ୍ଜ ନ‌ଦୀତୀରେ

ସମସ୍ୱରେ ତୋଳି ଧ୍ୱନି,

ହୁଳହୁଳି ହର୍ଷେ ଦିଅନ୍ତି ସଘନେ

ଘଟରଘୁମା-ଘରଣୀ ।

କାନନେ ଅସ୍ଫୁଟେ ଶୁଭେ କେବେ କେବେ

କଳଗୀତି କୋକିଳାର,

ଟଙ୍କାରି ଚଢ଼ାଉ- ଅଛି କି ସେ ନିଜ

କଣ୍ଠ‌ ଯନ୍ତ୍ରେ ନୂଆ ତାର ?

କାନନେ କାନନେ ଠାବେ ଠାବେ ଶ୍ୱେତ

ପଲ୍ଲବେ ସ୍ୱବପୁ ମଣ୍ଡି,

କାନନ ଲକ୍ଷ୍ମୀର ଚନ୍ଦନ ରଚନା

ପରାୟେ ଶୋଭେ ଅତଣ୍ଡି ।

ନିଆଳୀ ବସନ୍ତ- ପୂଜା ଇଚ୍ଛି କଳି

ଗୁରୁକୁ କରୁଛି ସଜ,

ବଉଳିଛି ବନେ ପିଆଳ-କିଟପୀ

ମାତ୍ର ବାନ୍ଧିନାହିଁ ରଜ ।

(ରାଟ- ରାଜା, ସର୍ଷ‌ପ- ସୋରିଷ)

ସୁଖ ଆଶେ ଭୋଳ ସରବେ ଏ କାଳେ

ସୁଖ ତ ଭବେ କ୍ଷଣିକ,

କିଏ ନ ଜାଣଇ ସୁଖଠାରୁ ସୁଖ

ଆଶାରେ ସୁଖ ଅଧିକ ?

ହିମାଦ୍ରି କାନ୍ତାରେ, ମୃଗୟା ରଚନ୍ତି

ହସ୍ତେ ଧରି ଧନୁଶର,

ପ୍ରଦୋଷେ ଏ କାଳେ ଯୁବା ପୁରୁରବ

ବତ୍ସଦେଶ ଅଧିଶ୍ୱର ।

ସୁପଣ୍ଡିତ ଶାସ୍ତ୍ରେ, ଶସ୍ତ୍ରେ ମହାବୀର

ନିଖିଳ ସଦ୍‌ଗୁଣ ଧାମ,

ରୂପ ଦେଖି ଚେତ୍ତେ ଆସଇ ମର୍ତ୍ତ୍ୟେ କି

ମୂର୍ତ୍ତି ଧରି ବିଜେ କାମ ।

ସିଂହ ବ୍ୟାଘ୍ର ମାରି ଭ୍ରମନ୍ତି ଏକାକୀ

ନରେନ୍ଦ୍ର ନିର୍ଭୀକ ମନେ,

ମଦକଳ ପକ୍ଷି- ରୂତେ ଝଙ୍କାରିତ

ସେ ଘୋର ନିର୍ଜନ ବନେ ।

ନିର୍ଝର-ସୀକରେ ଶ୍ୟାମଳ ସେ ବନ

ଚିତ୍ର ପକ୍ୱ-ପର୍ଣ୍ଣଜାଳେ,

ଉତ୍‌ପୁଚ୍ଛେ ବରହୀ ନାଚୁଥାନ୍ତି ଯହିଁ

ମତ୍ତ-କରି-କର୍ଣ୍ଣ-ତାଳେ ।

ଗୁଞ୍ଜରଇ କାହିଁ ମଧୁଚକ୍ରେ ମଧୂ

ମକ୍ଷିକା ତରୁ କୋଟରେ,

କାହିଁ ଝରେ ଝର ଝର୍ଝରେ, ଝିକାରୀ

କାହିଁ ରାବେ ଝିଁ ଝିଁ ସ୍ୱରେ ।

କବି ପ୍ରାୟେ ସଦା କୋଳାହଳ ଦ୍ୱେଷୀ

ବିବିକ୍ତ ସ୍ଥଳ ବିଳାସୀ,

ମୃଦୁନାଦେ କାହିଁ ରଟେ ଟିକଟିକ

ବିହ‌ଙ୍ଗ ଜାଙ୍ଗଳବାସୀ ।

ଭ୍ରମୁ ଭ୍ରମୁ ଠାବେ ଠାବେ ଉଲା ହୋଇ

ସ୍ତମ୍ଭିତେ ରହ‌ନ୍ତି ରାୟେ,

ସ୍ୱମର୍ଦିତ-ଶୁଷ୍କ- ପତ୍ର ଖଡ଼ଖଡ଼େ

ଚମକି ପଡ଼ିଲା ପ୍ରାୟେ ।

ଗୋଟିଏ ଗୋଟିଏ ପତ୍ର ତରୁ ଡାଳୁ

ବସାଇଣ ପବମାନ,(୩)

ମଧ୍ୟେ ମଧ୍ୟେ ଆସି ଶ୍ରୀଛାମୁରେ ଭେଟି

ହେଉଅଛି ଅନ୍ତର୍ଦ୍ଧାନ ।

ପାଦ୍‌-ଗିରି-ଇନ୍ଦ୍ର- ନୀଳ-ବେଦୀ ପରେ

ଅଗ୍ରତେ ହିମ-ଶିଖରୀ,

କୌବେରୀ-ଲ‌ଲାଟେ ଶୋଭେ କଟିମଣି

ଶିଳା-ଚନ୍ଦ୍ରଶାଳା ପରି;

ଶାଶ୍ୱତ ଦର୍ପଣ- ବିମାନେ ବିମାନ

ଚାରିଣୀ ସୁରବାଳାର,

ସୂର-ତରଙ୍ଗିଣୀ ରଙ୍ଗାର ଶାଶ୍ୱତ-

ତୁଷାର-ସୂତିକାଗାର ;

ବିରାଟ ମୂରତି ବ୍ୟୋମକେଶ ଗିରି

କୋଟି କୋଟି ସାନୁମାନ

ଭେଦି ଉଠିଅଛି ଊର୍ଦ୍ଧ୍ୱେ ଗଢ଼ା କିସେ

ସ୍ଫଟିକେ ସ୍ୱର୍ଗ-ସୋପାନ ?

କୋଟି ଇନ୍ଦ୍ର-ଚାପ- ଲାଞ୍ଛିତ ପ୍ରପାତେ

ମଣ୍ଡିର ବପୁ ବିଶାଳ,

କୋଟି ରତ୍ନପୂର୍ଣ୍ଣ ଚାକ୍ଷୁଷ ବିଶ୍ୱେ କି

ବିଶ୍ୱକର୍ମା-ବିଶ୍ୱଶାଳ ?

ଝଟକେ ଆଲୋକେ ଧଳା ମେହେରାବି

ହିମର ହିମାଦ୍ରି ଶିଖେ,

ଗଢ଼ା ହୋଇଛି କି ବିରାଟ ବିମାନ

ଦିଗ୍‌ଦନ୍ତି-କନ୍ତ-ମୌକ୍ତିକେ ?

ଠାବେ ଠାବେ ଘୃଷ୍ଟ- ମସୃଣ ରଜତ-

ଧବଳ ମେଘମାଳିକା,

ଲଭଇ ବିଶ୍ରାମ- ସୁଖ ଆଶ୍ରିପାଦ

ଗିରି-କ୍ରୋଡ଼-ପର୍ଯ୍ୟଟ୍ଟିକା ;

 

(ମଦକଳ-ମଦମତ୍ତ, ବିବିକ୍ତ-ଏକାନ୍ତ, ଜାଙ୍ଗଳ-ଧାନ ରବି ଶସ୍ୟ ଥିବା ଦେଶ ପବମାନ-ପବନ, କୌବେରୀ-ଉତ୍ତର ଦିଗ, ମଣିଶିଳା- ମାର୍ବଲ ପ୍ରସ୍ତର, ମେହେରାବି-କୋଠାଘର)

ଏ ଅଦ୍ଭୁତ ଶୋଭା- ନିରୀକ୍ଷଣ ଲୋଭା

ସ‌ହସା ନେତ୍ର ନୃପର,

ରଜ୍ଜୁରେ ଓଟାରି ନେଲା ପ୍ରାୟେ ନେଲା

ସ୍ତ୍ରୀକଣ୍ଠ-ସମ୍ଭବ ସ୍ୱର ।

ଅତୁଳନା ଭାବେ ସେ ସ୍ୱର ମାଧୁରୀ,

ତୁଳିବାର ସପ୍ତସ୍ୱରା-

ସ୍ୱର ସଙ୍ଗେ ତାହା ତୁଳିବାର ସିନା

କର୍କରା ସଙ୍ଗେ ଶର୍କରା !

ଖଣ୍ଡେ ଦୂର ଯାଇ ଦେଖିଲେ ଭୂପତି

ଭୂତଳେ ଏକ ସୂନ୍ଦରୀ,

ପଡ଼ିଛି ଅଚେତେ ବାତାହତ ଆହା,

କନ‌କ ଲତିକା ପରି !

ଦୂର ପତନର ବେଗ-ବଶେ ପଡ଼ି

ନିଷ୍ପନ୍ଦେ ରହିଛି ଅବା,

ନ‌ଗେନ୍ଦ୍ର-ବିହାରୀ- ମେଘକୋଳୁ ଖସି

ମହୀରେ ଅଚିର-ପ୍ରଭା !

ସଖୀ ଅନିନ୍ଦ୍ୟାଙ୍ଗୀ କାନ୍ଦେ ପାର୍ଶ୍ୱେ ବସି

ସୌନ୍ଦର୍ଯ୍ୟେ କାନନ ଦ୍ୟୋତି

କମଳ-ନୟନୁ ଅବିରତେ ଝରେ

ଅମଳ କରୁଣା-ମୋତି ।

ଅଶ୍ରୁସିକ୍ତ-ମୂଖେ ନିରୁପମ ଶୋଭା

ବ‌ହି ସେ ମତ୍ତକାଶିନୀ,

ହିମ-ବିନ୍ଦୁ-ସ୍ତବ କିନୀ ଅମ୍ବୋଜିନୀ

ଶୋଭା ଯାଇଥିଲା ଜିଣି ।

ଦୟାର୍ଦ୍ର ବଦନ ନରେନ୍ଦ୍ରର ଦେଖି

ସୁନ୍ଦରୀ ହୃଦ-ଆଶ୍ୱାସେ।

ଶ୍ରୀଛାମୁରେ ଦୁଃଖ କାହାଣୀ ଏ ରୂପେ

ବୋଇଲା ଗଦ୍‌ଗଦ୍ ଭାଷେ ;

"ଭୋ ଦେବ, ନିଶାନ୍ତେ ଦିବାକର ବିଜେ

ହେଲେ ଏକଚକ୍ର ରଥେ,

ଇନ୍ଦ୍ର ଦେଶେ ନୃତ୍ୟ ଗୀତ କରି ଯାଉଁ

ଆମ୍ଭେ ସେ ରଥ ଅଗ୍ରତେ ।

ବ୍ୟୋମେ ଆମ ପଥେ ହରୁଥାଇ ଖର

ତାପ ଖର ଧିପତିର,

ସୁରଗଜ-ମଦ- ସୁରଭି ସ୍ୱର୍ଣ୍ଣଦୀ-

ଶୀକର-ଶୀତ-ସମୀର ।

ତିଳୋତ୍ତମା (୧) ବିସ୍ୱ-ରମା, ଏଣୀ-ନେତ୍ରା

ମେନା, ରମ୍ଭା, ରମ୍ଭଊରୁ,

ସୁକେଶିନୀ ମିଶ୍ର,- କେଶୀ ଯା ସଙ୍ଗୀତେ-

ଆଶ୍ଚର୍ଯ୍ୟ ନିଜେ ତୁମ୍ଭୁରୁ (୨)

ସ‌ହଜନ୍ୟା ରୂପ- ଧନ୍ୟା, ପ୍ରେମଶୀଳା

ପ୍ରେମଲୋଚା ସୁମଧ୍ୟମା,

ଅଣୂଦରୀ କ୍ରନୁ- ମ୍ଳୋଚା ଦ୍ୱିଜରାଜ

ଜିତମୁଖୀ ଦ୍ୱିଜୋତ୍ତମା,

ବିଶ୍ୱନେତ୍ର-ରୁଚି ଘୃତାବୀ, ବିଶ୍ୱାଚ

ବିଶ୍ୱ-ମନୋମୃଗ-ଫାଶ,

ଚିତ୍ରଲଖା ମୁହିଁ ଏ ସଖୀ ମୋହର

ଉର୍ବଶୀ, ହେ ମହେଷ୍ୱାସ !

ବଜ୍ରର ଅସାଧ୍ୟ ତ୍ରିଦିବ-ସମ୍ପଦୀ-

ଲୋଭେ ତୀବ୍ର-ତପୋଶ୍ଚାରୀ

ଶତୃ ଜିଣିବାକୁ ସୁକୁମାର ଅସ୍ତ୍ର

ଶକ୍ରର ଏ ସୁକୁମାରୀ ।

ହେମ-ବଲ୍‌ଗାଧାରୀ ଅନୂରୁ ଛାମୁରୁ (୩)

ବେନିଏ ମେଲାଣି ମାଗି,

ଖଟଣି ବଢ଼ାଇ ଆସିଥିଲୁଁ ଆଜ

ଏ ବନେ ଭ୍ରମିବା ଲାଗି ।

ମହୋଲ୍ଲାସେ ନୀଳ- ବ୍ୟୋମୁ ଅବତରି

ନିରାତଙ୍କ ମଣି ମନ,

ନିଃଶଙ୍କେ ବେନିଏ ନିକାଞ୍ଚନେ ଏଥି

କରୁଥିଲୁ ବିଚରଣ ।

ସ‌ହସା ଦାନବ‌- ଯୁବା ଜଣେ ଏହି

କନ୍ଦରୁ ହୋଇ ବାହାର,

ବଳେ ଘେଏଇ ଯାଉ- ଥିଲା ସଜନୀକି

ପାପ ପାଞ୍ଚି ଦୂରାଚାର ।

ପାପଚିନ୍ତା ମାତ୍ରେ ପାପଦଣ୍ଡଦାତା

ତୁମ୍ଭକୁ ଦେଖି ସେ ଡରେ,

କମଳିନୀ-ସଖୀ ଆଗେ ତମ ପ୍ରାୟେ

ପଳାଇଲା ଦୁଷ୍ଟ ଖରେ ।

ତ୍ରିଦିବ-ଚନ୍ଦ୍ରମା- ମୁକ୍ତ କଲା ଆଜ

ଦାରୁଣ ଦାନବ-ରାହୁ-

ମୁଖୁ ସିନା, ବୀର, ଅଭୟ ଦକ୍ଷିଣା

ଦାନ-ଦକ୍ଷ ତୁମ୍ଭ ବାହୁ ।

ତ୍ରାସେ ମୂର୍ଚ୍ଛା ଭଜି କି ବିକଳେ ଆହା

ଭୁତଳେ ପଡ଼ିଛି ବାଳା !

ହୃଦ-କମ୍ପ ଯୋଗୁଁ ଦେଖ ଉଠେ ପଡ଼େ

ବକ୍ଷେ ପାରିଜାତମାଳା ।

ଅମରୀ ହେଲେହେଁ ଶୁଝିବାକୁ ମୋର

ଶକତି କାହିଁଛି ପୁଣ,

ଶରଣପଞ୍ଜର ଭୋଦେବ, ତୁମ୍ଭର

କାତରେ ଏ ଦୟା ଋଣ ।"

ଅଚେତେ ଅବଶ ସେ ତ୍ରଦଶ ଯୋଷା

ମଉଳି କୁସୁମ ଗଭା,

ଉର୍ବଶୀକି ଦେଖି ଅବଶେ ସେ ରୂପେ

ମୁଗ୍‌ଧ ହେଲେ ପୁରୁରବା

ଭାବିଲେ, 'ଅମରେ ଅପଲକ କରି

ଗଢ଼ିଲା ବିହିକି ସତେ !

ଏ ରୁପ-ନିର୍ଝର ନେତ୍ରେ ରୁପାମୃତ

ପିଇବାକୁ ଅବିରତେ ?

କିରୀଟେ ନିର୍ଝରୁ ନୀର ଆଣି ରାଜା

ସିଞ୍ଚାଇ ସଜନୀ-ହାତେ,

ଚେତା କରାଇଲେ ଉର୍ବଶୀକି ନବ‌

ପଲ୍ଲବ ବିଞ୍ଚଣା ବାତେ ।

ଚେତନା ପ୍ରବେଶେ ଉର୍ବଶୀର କାନ୍ତି

ଝଟକିଲା ଅଭିରାମେ,

ସେ ଚେତନା ଯଥା ଭଜେ ନିର୍ମଳତା

ଯାମିନୀ-ଅନ୍ତିମ-ଯାମେ ; (୧)

ଯମିନୀର ଅଙ୍ଗ ରସାଣିର, ଆହା,

ଉଇଁ କି ନବ ଚନ୍ଦ୍ରିକା ?

କିବା ସେ ଯାମିନୀ- ଯୋକେ ଉଜ୍ଜ୍ୱଳେ କି

ଜଳିଲା ଅନଳ ଶିଖା ?

ବିଶ୍ୱତ୍ରାସକର ବିଷମେଷୁ ଶର

ଖାଲିକି ତ ରକ୍ଷା ନାହିଁ,

ସେ ଶରକୁ ଦେଲା ମାର କି ସେ ତୀବ୍ର

ବିସର୍ପି-ବିଷେ ବିଷାଇ ?

‘‘ବରାରୋହା, ନେତ୍ର ଫେଡ଼ି ଚାହାଁ ଦୈତ୍ୟ-

ତସ୍କର ଭୟ ଗଲାଣି,

ତୋ ଭାଗ୍ୟେ ପ୍ରହରି- ରୂପେ ଅଗ୍ରେ ଉଭା

ପୁରୁରବା ଧନୁଷ୍ପାଣି,

ମଧ୍ୟଲୋକ-ପାଳ ତ୍ରଦଶ ବାନ୍ଧବ

ଚନ୍ଦ୍ରପ୍ରଭା-ଚନ୍ଦ୍ରବଂଶୀ,

ତରୁଣୀ-ନଳିନୀ- ବିକାଶି ତରୁଣୀ

ଦିତିସୁତ-ଧ୍ୱନ୍ତ-ଧ୍ୱଂସୀ ।"

ଏ ଆଶ୍ୱାସ ଗିରେ ସଖୀର ନୟନ

ଫେଡ଼ିଲା ନାକ-ନାଗରୀ

ମୁଦ୍ରିତ ପଙ୍କଜ ମୋଦେ ପନ୍ଦଜିନୀ

ପ୍ରାଦେ ଫୁଟାଇଲା ପରି ।

 

(୧-ରାତ୍ରିର ଶେଷ ପ୍ରହରରେ ମନୁଷ୍ୟର ଚୈତନ୍ୟ ଅର୍ଥାତ୍ ବୁଦ୍ଧି ବୃତ୍ତି ନିର୍ମଳ ହୁଏ, ୨ ବିଷମେଷୁ-କନ୍ଦର୍ପ, ୩ ବରୋହା-ପଦ୍ମମୁଖୀ)

 

ରାଜମୁଖ ଦେଖି ଲାଜେ ଚନ୍ଦ୍ରମୁଖୀ

ଆଡ଼ କଲା ଚନ୍ଦ୍ରମୁଖ

ମାତ୍ର ଅନାୟତ୍ତେ ମନ ହେଲା ତାର

ମନୋଜ-କ୍ରୀଡ଼ା-କନ୍ଦୁକ ।

ଲାଜେ ପାଟଳିତ ହେଲା ଗଣ୍ଡସ୍ଥଳ

ଶୁଲକ ବ‌ହିଲା ପୁଣ,

ମନୋଜ-ତରୁରେ ପଲ୍ଲବ କଅଁଳି

ଫୁଟିଲା ପରା ପ୍ରସୂନ ?

ଉତ୍ସ୍ୱାସର ବ୍ୟାଜେ ଦ୍ରବିଭୁତ ହୃଦ

ଅଜାଡ଼ିଦେଲା ଅବଳା,

ସୁରଭି ସମୀର ମୁଞ୍ଚିଲା କି ଦିଗ

ଦକ୍ଷିଣା-ସିନ୍ଧୁ-ମେଖଳା ?

ଭାଳିଲା ସୁନ୍ଦରୀ, "ଭଲ ପ୍ରହରୀ ତ

ଦଇବ ଦେଲା ଭେଟାଇ,

ଚୋର ଥିଲା ଭଲ, ଏ ଭଳି ପ୍ରହରୀ

ହସ୍ତରୁ ତ ରକ୍ଷା ନାହିଁ !

ବଳାତ୍କାରେ ଦେହ ମାତ୍ର ବନ୍ଦୀ କରି

ଥିଲା ଦୈତ୍ୟ ଦୁରାଶୟ,

ଦେହ ମୁକୁଳାଇ ପ୍ରହରୀ ହୋଇ ଏ

ଚୋରାଇ ନେଲା ହୃଦୟ !

ଅବା ଏ ଭ୍ରମଇ ମରତେ କପଟ-

କିଞ୍ଚିତ-ରୁପ ଅନଙ୍ଗ,

ବଗୁରାରେ ଯାର ମଙ୍କୁ ପଡ଼ଇ

ଅବଳା-ମନ-ବିହ‌ଙ୍ଗ ;

ଜାଣିଲି ନିଶ୍ଚେ ସେ ଦୈତ୍ୟ ଆସି ମତେ

କରିଥିଲା ଶୁଭକ୍ଷଣେ,

ସେ ବିପଦ ଯୋଗୁଁ ଏ ରୁପ ସମ୍ପଦ

ଦେଖିଲି ସିନା ନୟନେ !

ନିଜ ସ୍ଥଳୀ ବୋଲି ସ୍ୱର୍ଗ ଟେକ ସିନା

ବଢ଼ାନ୍ତି ଅମରଗଣ,

ଏ ମୂର୍ତ୍ତିକି ବ‌ହି ଉତ୍ସଙ୍ଗେ ସ୍ୱର୍ଗର

ସ୍ୱର୍ଗ ଏ ମର୍ତ୍ତ୍ୟ ଭୁବନ !"

ପ୍ରେମାବେଶେ ବାଳୀ ଏହିରୂପେ ଭାଳି

ଅପାଙ୍ଗେ ନୃପଙ୍କୁ ଚାହିଁ,

ଲଜ୍ଜାବଶେ ଆଣୁ- ଥାଇ ସେ ଚାହାଣି

ମୁହୁର୍ମୁହୁ ବାହୁଡ଼ାଇ ।

ସାଧୁବାଦ ନୃପେ ଦେବାଲାଗି ଧନୀ

ମନାସିଲା ବାରମ୍ବାର,

ମାତ୍ର ସାଧୁବାଦ ହୃଦୁ ଉଠି ତାର

ରହିଲା ଲାଖି ଗଳାର ।

ମନ‌-ପ୍ରାଣ-ଦାନ- ସ୍ଥଳେ ଶିଷ୍ଟାଚାର

କି ଛାର ଅବା ସମ୍ପତ୍ତି ?

ରତ୍ନ ଦେଇ ପୁଣି ବରାଟକ-ଦାନେ

ବଳେ କି କାହାର ମତି ?

ସାରଥି ଏ କାଳେ ବନେ ବନେ ଭ୍ରମି

ରାଜାଙ୍କ ପାଇ ସନ୍ଧାନ,

ଶ୍ରୀଛାମୁରେ ଆଣି ରଥ କଲା ଉଭା

ଦିବା ଜାଣି ଅବସାନ ।

ଦିଗ୍‌ବଳୟ ପାରେ ରବିରଥ ଏଣେ

ନେବାରୁ ବାହି ଅନୂରୁ,

ଅଭିନବ ମୂର୍ତ୍ତି ପ୍ରକଟିଲେ ଗିରି

ଚକ୍ରବର୍ତ୍ତୀ ଗୌରୀଗୁରୁ ।

ସନ୍ଧ୍ୟାତପ ଅର୍ଦ୍ଧ- ଅଙ୍ଗେ, ଅର୍ଦ୍ଧଅଙ୍ଗେ

ଜ୍ୟୋତ୍ସ୍ନା ପ୍ରତିବିମ୍ବ ଲଭି,

ପ୍ରତିଶରଙ୍ଗ ବିଡ଼- ମ୍ବିଲା ମାହେଶ୍ୱରୀ

ଅର୍ଦ୍ଧ ନାରୀଶ୍ୱର-ଛବି ।

ଆସି-ଶ୍ୟାମ ବ୍ୟୋମ- ଭିତ୍ତିରେ ଏ ଚିତ୍ର

ଦେଖି ସର୍ନେ ଭକ୍ତିଭରେ,

ଗିରିଜା ଗିରିଶ- ମୂର୍ତ୍ତୀ ମଣି ତାକୁ

ପ୍ରଣମିଲେ ଯୋଡ଼ କରେ ।

ବନସ୍ପତି ଡାଳେ ପକ୍ଷୀରୁଣ୍ଡ ଦେଖି

ହୃଦୟେ ହେଲା ପ୍ରତୀତି,

ଦିନର ଚରିତ- ଳ୍ପନା ଲାଗି କି

ବସିଲା ପକ୍ଷୀ ସମିତି ?

ଗାଇଲେ ସ୍ୱାଗତ କଳରୂତେ ପ୍ରେମ-

ଅନୁକୂଳା ରଜନୀଙ୍କି,

ନିବିଡ଼ କୀଚକ- କୁଞ୍ଜେ ମଦକଳ

ଜଳବିଙ୍ଗ କ‌କବିଙ୍କୀ ;

ପ୍ରବେଶିଲେ ଶୈଳେ ମୃଦୁପଦେ ଆସି

ଶଶି-ଚାରୁ-ବିଳାସିନୀ

ତାରାସୀମନ୍ତନୀ- ସନ୍ଧ୍ୟା ପଛେ ପଛେ

ତାରାହାରା ନିଶୀଥିନୀ ।

ଭୀରୁଶୀଳା ଚିତ୍ର- ଲେଖା ଅଗ୍ରେ ଦେଖି

ଉପସ୍ଥିତ ବିଭାବରୀ,

ସ୍ୱର୍ଗେ ବାହୁଡ଼ିବା ଲାଗି ହେଲା ବ୍ୟଗ୍ର

ସଙ୍ଗେ ଘେନି ସ‌ହଚରୀ ।

ରଥେ ତ‌ହୁଁ ବେନି ବାଳୀକି ବସାଇ

ସ୍ୱହସ୍ତେ ସେ ରଥ ବାହି,

ଦାନବ-ଅଗମ୍ୟ ହେମକୂଟ-ଶୈଳେ

ଦେଲେ ରାଜା ପ‌ହୁଞ୍ଚାଇ ।

ସଂକଳ୍ପ-ରମଣୀ- ସଙ୍ଗେ ଗଳ୍ପୋଲ୍ଲାସେ

ବାହିଲେ ନୃମଣି ରଥ,

ସଂକଳ୍ପ ଘୋଡ଼ାରେ ଦଉଡ଼ିଲା ସଙ୍ଗେ

ରଙ୍ଗେ ତାଙ୍କ ମନୋରଥ ।

ପଥେ ରଥକ୍ଷୋଭୁଁ ଭେଟିବାରୁ ନିଜ

ଖୂଆରେ ଖୁଆ ପ୍ରିୟାର,

ସେ ସ୍ପର୍ଶ ମଣିଲେ ନରେଶ ଶ୍ରମର

କୋଟିଗୁଣ ପୁରସ୍କାର ।

ନେତ୍ରଭଙ୍ଗୀ, ସ୍ମିତ, ସ୍ପର୍ଶ ଆଦି ମୁଦ୍ରା

ହୁଏ ଯାହା ପ୍ରଚଳନ,

ପ୍ରେମ ବିପଣୀରେ, ଚିହ୍ନରା ଗ୍ରାହକ

ତାର ସିନା ପ୍ରେମି-ଜନ !

ମୋହ୍ନ ପରଶେ ନରେନ୍ଦ୍ରର ବପୁ

ସ୍ୱଦେ ହେଲା ଜରଜର,

ସଞ୍ଚରିଲା ପ୍ରତି- ଶିରାରେ ପ୍ରେମର

ବୈଦୁତ-ସ୍ରୋତ ପ୍ରଖର ,

ମୋହ‌ନ ପରଶେ ଉର୍ବଶୀର ମନ

ତରଳି ଗଲା ନିତାନ୍ତ,

ତରଳିଲା ଗିରି- ତଟେ ସେହି କାଳେ

ଯଥା ମଣି ଚନ୍ଦ୍ରକାନ୍ତ ।

କ୍ରମେ ନଭେ ଶଶୀ ଉଠନ୍ତେ କନ୍ଦରେ

ତମସ୍ତୋମ ପଶିଗଲା,

ସ‌ହସ୍ର-ସ୍ଫଟିକ- ସଙ୍ଗେ ଚମକିଲା

ଜ୍ୟୋତ୍ସ୍ନା ଜାଲ‌ ଝଲା ଝଲା ।

ଶଶିକରଜାଳେ ତରଳି ଶଇଳେ

ଶଶିମଣି ପ୍ରେମାନନ୍ଦେ,

ବଦଳିଲା ପୁଣି ଚନ୍ଦ୍ରିକା କି ସେହି

ଶଶିମଣି-ମକରନ୍ଦେ !

କଳ୍ପାପାଦପର ହୀରା ଶାଖାପୁଞ୍ଜ

ମୁକ୍ତାଗୁଣେ ଯଥା ଶୋହେ,

ମଞ୍ଜୁଳ ଦିଶିଲା ପ୍ରତି ଶୃଙ୍ଗ ସେହି

ଉଜ୍ଜ୍ୱଳ ଜ୍ୟୋତି ପ୍ରରୋହେ ।

ଚନ୍ଦ୍ରିକା ସ୍ପନ୍ଦନେ ଗିରିନ୍ଦ୍ରର ଶୋଭା

ଅପ୍‌ସରୀଏ ଅନୁଭବି,

ସ୍ମରିଲେ ସ୍ୱଜନ୍ମ- କାଳୀନ ମନ୍ଦର-

କ୍ଷୁଭିତ-କ୍ଷୀରୋଦ-ଛବି ;

ହେମକୁଟ ଗିରି ନିତମ୍ବେ ପ୍ରବେଶି

ସ୍ୱପୁରେ ଯିବା ସକାଶେ,

ଘେନିଲେ ମେଲାଣି ବେନି ନିତମ୍ବିନୀ

ବିନୟ ମଧୁର ଭାଷେ ।

ବିନୟ-ମଧୁର- ଭାଷେ ସୂନ୍ଦରୀଙ୍କି

ମେଲାଣି ଦେଲେ ରାଜନ

ମାତ୍ର ପ୍ରିୟା ପଛେ ପଛେ ଦଉଡ଼ିଲା

ପ୍ରେମୋଚ୍ଛନ୍ନ ଯୁବା ମନ ।

ଉପୁଜାଉଥିଲା ଏ କାଳେ ବିରହ

ବିରହିଣୀ କର୍ଣ୍ଣଜ୍ୱର,

କୌମୁଦୀ-ମୁଦିତ- ଚକୋର ଚକୋରୀ

ସ୍ୱର ହର୍ଷ-ବିକସ୍ୱର ।

ଯାଉଁ ଯାଉଁ ମୁଖ ପଛକୁ ବୁଲାଇ

କାନ୍ତକୁ ମିଳିନ୍ଦ ମାଳା

ରମ୍ୟ ନେତ୍ରେ ବକ୍ରେ ଚାହୁଁଥିଲା ଖେଳା

ଖଞ୍ଜନ-ଲୋଚନା ବାଳା ।

ଶୃଙ୍ଗେ ଉଠୁ ଉଠୁ ଉର୍ବଶୀର ମଠ

ଦେଖି ଡାକିବାରୁ ସଖୀ,

କଣ୍ଟାବନେ ଲାଗି ପଣତ ବାଳାର

ସ‌ହସା ଗଲା ଅଟକି ।

ବିକମ୍ବର ବ୍ୟାଜ ଲୋଡ଼ନ୍ତି ଏପରି

ଘାରି ହୋଇ କାମ ବାଣେ,

କାମିନୀଏ ସବୁ ଦିନେ, ଏ କଥା ତ

ପ୍ରସିଦ୍ଧ ପ୍ରିତୀ ପୁରାଣେ ।

"ରହ, ଅଟକିଲା କଣ୍ଟାରେ ବସନ"

ବୋଲିବାରୁ ଉରୁବଶୀ,

"ଅଟକିବ, ଜାଣି ଥିଲି ଛଟକିନି"

ସଜନୀ ବୋଇଲା ହସି ।

ଶୃଙ୍ଗୁ ଉଠି ସଖୀ- ସଙ୍ଗେ ଶଶୀମୁଖୀ

ମିଶିଗଲା ନଭସ୍ଥଳେ,

ଏକଦୃଷ୍ଟେ ତାର ପ୍ରୟାଣ ଦେଖିଲେ

ନରେନ୍ଦ୍ର ଗିରି ମେଖଳେ ।

ରାଜଦେହୁଁ ମନ ଓଟାରୁଣ ଥିଲା

ଉର୍ଦ୍ଧେ ଉଠି ସୁରବାଳୀ,

ଛିନ୍ନ ମୃଣାଳରୁ ଥଣ୍ଟେ ସୂତ୍ର ଯଥା

ଓଟାରି ଉଡ଼େ ମରାଳୀ ।

Image